Wednesday, September 16, 2020

ଫୁଲକୋବି ଚାଷ


ଆମ ରାଜ୍ୟରେ ଫୁଲକୋବିରୁ ବହୁତ
ଲାଭ ମିଳୁଥିବାରୁ ଆଜି କାଲି ଏହି ଫସଲର ଚାଷ ବ୍ୟାପକ ଭାବରେ କରାଯାଉଅଛି । ସେହିପରି ବନ୍ଧାକୋବି ଓ ଓଲକୋବିର ଚାଷ ମଧ୍ୟ କ୍ରମେ ବୃଦ୍ଧି ପାଉଅଛି । କୋବି ଜାତୀୟ ଫସଲ ସାଧାରଣତଃ ଶୀତଦିନେ କରାଯାଉଥିବାରୁ ବର୍ଷା ଦ୍ଵାରା ନଷ୍ଟ ହେବାର ସମ୍ଭାବନା ଖୁବ୍ କମ୍ ହୁଏ । ଫୁଲକୋବି ଏକ ଶୀତଦିନିଆ ପରିବା । ସମତଳ ଅଞ୍ଚଳରେ ଏହା ଚାଷ କରାଯାଏ । କିନ୍ତୁ ଉଚ୍ଚ ପାହାଡିଆ ଅଞ୍ଚଳରେ ବର୍ଷସାରା ଫୁଲକୋବି ଚାଷ କରାଯାଇ ପାରିବ । ସାଧାରଣତଃ କୋବିଚାଷ ବର୍ଷସାରା ହୋଇପାରିବ । କିନ୍ତୁ ସଅଳ କିସମର କୋବି ଚାଷକରି ଚାଷୀଭାଇ ମାନେ ଅଧିକ ଉତ୍ପାଦନ କରିବା ସହ ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ମଧ୍ୟ ଘଟାଇ ପାରିବେ ।

ଫୁଲକୋବି

ଫୁଲକୋବି ପ୍ରଥମେ ୟୁରୋପ ମହାଦେଶର ଇଂଲଣ୍ଡ ଓ ଡେନ୍‌ମାର୍କ ପ୍ରଭୃତି ଅଞ୍ଚଳରେ ଚାଷ ହେଉଥିଲା ବୋଲି ବିଶ୍ଵାସ କରାଯାଏ । ସେଠାରୁ ଏହା ଆମ ଦେଶକୁ ଆସିଥିଲା ।

ଜଳବାୟୁ ଓ ମାଟି

ଶୀତଳ ଆର୍ଦ୍ର ଜଳବାୟୁରେ ଫୁଲକୋବି ଭଲ ହୁଏ । କିନ୍ତୁ ଏହା ଅତି କମ୍ ବା । ଅତି ଉଚ୍ଚ ଉତ୍ତାପ ସହ୍ୟ କରିପାରେ ନାହିଁ । ଗଛ ବଢୁଥିବା ସମୟରେ ଉଭାପ ବଢ଼ିଗଲେ ଫୁଲ ହୁଏନାହିଁ ।

ମାଟି

ଫୁଲକୋବି ପାଇଁ ଦୋରସା, ନିଗିଡ଼ା ମାଟି ଖୁବ୍ ଉପଯୁକ୍ତ । ମାଟିରେ ଯଥେଷ୍ଟ ପରିମାଣରେ ଜୈବିକ ପଦାର୍ଥ ରହିଲେ ଫସଲ ଭଲ ହୋଇଥାଏ । ଅମ୍ଳ ମାଟିରେ ଫୁଲକୋବି ଭଲ ହୁଏନାହିଁ।

କିସମ

ଆମ ରାଜ୍ୟରେ ଦୁଇ ପ୍ରକାର କିସମ ଚାଷ କରାଯାଏ । ଯଥା ସଅଳ କିସମ ଓ ବିଳମ୍ବ କିସମ । ସଅଳ କିସମର ଗଛ ଛୋଟ ଓ କଢ଼ ମଧ୍ୟ ଛୋଟ ହୋଇଥାଏ । ବିଳମ୍ବରେ ହେଉଥିବା କିସମର ପତ୍ର ଲମ୍ବା ଓ କଢ଼ ଗୁଡ଼ିକ ବଡ ହୁଏ । ସଅଳ କିସମ ରୂପେ ପୁଷା କଟକି, ୟାଇଁ କୁଆଁରୀ, ପୁଷା ୟାଇଁ ସିନ୍ଥେଟିକ୍, ପନ୍ଥ ଗୋବି-୩, ପୁଷା ଦିପାଳୀ, ପନ୍ଥଗୋବି-୨ ଚାଷ କରାଯାଇଥାଏ । ରୋଇବାର ପ୍ରାୟ ୨ ମାସ ପରେ କଢ଼ ବାହାରିଥାଏ । କଢ଼ିଟି ପ୍ରାୟ ୨୦ ରୁ ୨୫ ଦିନ ଭିତରେ ବଡ଼ ହୋଇ ଅମଳ ହେବାପାଇଁ ଉପଯୁକ୍ତ ହୋଇଥାଏ । ଏହି ଦୁଇ କିସମ ଜୁଲାଇ ଶେଷ ବା ଅଗଷ୍ଟ ମାସ ପ୍ରଥମ ସପ୍ତାହ ରେ ତଳି ପକାଇବା ଉଚିତ୍ ।

ପୁଷା ଦିପାଳୀ ମଧ୍ୟ ୯୦ ରୁ ୧୦୦ ଦିନ ଭିତରେ ଅମଳ ଯୋଗ୍ୟ ହୋଇଥାଏ । ଏହି କି ସମକୁ ଜୁଲାଇ ମାସ ଶେଷ ଭାଗରେ ତଳି ପକାଇ ଅଗଷ୍ଟ ମାସର ମଭାଗ ଆଡ଼କୁ ରୋଇବା ଦରକାର ।

ପୁଷା ସିନ୍ଥେଟିକ -୨, ସିନ୍ଥେଟିକ - ୩, ହିସାର ୧, ପୁଷା ଶୁଭ୍ରା, ପନ୍ଥ ଶୁଭ୍ରା, ପୁଷା ହିମଜ୍ୟୋତି (ପାହାଡ଼ିଆ ଅଞ୍ଚଳରେ ଏପ୍ରିଲରୁ ଜୁଲାଇ ମାସରେ ହୋଇପାରିବ) ପୁଷା ଶାରଦ, ପୁଷା ହାଇବ୍ରିଡ୍-୨, ପନ୍ଥଗୋବି-୪ ପ୍ରଭୃତି କିସମ ମଝାଳିଆ ଏବଂ ସ୍ନୋବଲ, ଡି-୯୬, ସ୍ନୋବଲ-୧୬, ପୁଷା ସ୍ନୋବଲ-୧, ପୁଷା ସ୍ନୋବଲ କେ-୧ କିସମ ଡେରିରେ ଅମଳ ପାଇଁ ଉପଯୁକ୍ତ । ଏହି ସବୁ କିସମ ଅମଳ ହେବା ପାଇଁ ପ୍ରାୟ ୧୧୦ ଦିନ ସମୟ ନେଇଥାଏ । ଏହି କିସମ ଗୁଡ଼ିକୁ ସେପ୍ଟେମ୍ବର ମାସରେ ତଳି ପକାଇ ଅକ୍ଟୋବର ମାସରେ ରୋଇବାକୁ ହେବ । ଏ ଗୁଡ଼ିକ ଡିସେମ୍ବର - ଜାନୁଆରୀ ମାସରେ ଅମଳ ହୋଇଥାଏ ।

ବିହନ ବିଶୋଧନ ଓ ଚାରା ପ୍ରସ୍ତୁତି

ସାଧାରଣତଃ ତଳିଘେରାର ଆକାର ୩-୫ ମିଟର ଲମ୍ବ, ୧ମିଟର ଓସାର ଏବଂ ୧୫-୨୦ ସେମି ଉଚ୍ଚ ରଖାଯାଏ । ଦୁଇଟି ତଳିଘେରା ମଧ୍ୟରେ ୩୦-୪୫ସେମି ବ୍ୟବଧାନ ରଖିବା ଦରକାର । ୧ଏକର ଜମିରେ ଫସଲ କରିବା ପାଇଁ ୪୦ବର୍ଗମିଟର ତଳିଘେରା ଆବଶ୍ୟକ । ମାଟିକୁ ଭଲଭାବରେ ଗୁଣ୍ଡକରି ୫୦ଗ୍ରାମ ୧୫:୧୫:୧୫ ସାର ଏବଂ ଉଚ୍ଚ ନହେବା ପାଇଁ ୫୦ଗ୍ରାମ କ୍ଳୋରୋପାଇରିଫସ ଗୁଣ୍ଡ ବିହନ ବୁଣିବାର ୭ଦିନ ପୂର୍ବରୁ ମିଶାଇ ଦିଅନ୍ତୁ ଗୋଟିଏ ଏକର ଫୁଲକୋବି ଚାଷକରିବା ପାଇଁ ୨୦୦ଗ୍ରାମ ବିହନ ଆବଶ୍ୟକ । ତଳି ଉତାରିବା ପୂର୍ବରୁ ବିହନକୁ ବିଶୋଧନ କରାଯାଏ । ପ୍ରତି କେଜି ବିହନ ପ୍ରତି ୨ଗ୍ରାମ ଥିରାମ ବ୍ୟବହାର କରାଯାଏ । ଏହାଦ୍ୱାରା ତଳିଘେରାରେ ଫୁଲକୋବି ଚାରା ପଚେ ନାହିଁ । ଫୁଲକୋବି ତଳି ବର୍ଷସାରା ଆବଶ୍ୟକ ଅନୁସାରେ ଉତ୍ପାଦନ କରାଯାଇପାରିବ । ୧ମିଟର ଓସାର, ୩ମିଟର ଲମ୍ବ ଏବଂ ୬ଇଞ୍ଚ ଉଚ୍ଚ ତଳି ଘେରାରେ ବିହନ ବୁଣନ୍ତୁ । ବିହନଗୁଡିକୁ ୫ସେଣ୍ଟିମିଟର ଦୂରତାରେ ଧାଡିରେ ବୁଣାଯାଏ । ମଞ୍ଜି ବୁଣିବା ପରେ ପଲିଥିନ, ଚଦର କିମ୍ବା ନଡାରେ ଘୋଡାଇ ଦିଆଯାଏ ଏହାଦ୍ୱାରା ମଞ୍ଜି ଭଲ ଗଜାହୁଏ । ମଞ୍ଜି ଗଜା ହେବା ପରେ ଘୋଡା ଯାଇଥିବା ପଲିଥିନ ଚଦର କିମ୍ବା ନଡାକୁ ବାହାର କରିଦିଅନ୍ତୁ । ତଳିଗୁଡିକୁ ନୀରୋଗ ରଖିବା ପାଇଁ ଇଣ୍ଡୋଫିଲ ୩-୪୫ ପ୍ରତି ଲିଟର ପିଛା ୪ଗ୍ରାମ ମିଶାଇ ତଳିଘେରାରେ ପକାନ୍ତୁ ।

ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଠିକ୍ ସମୟରେ ଚାରା ଉତ୍ପାଦନ ହୋଇପାରେ ନାହିଁ । ତେଣୁ ବନ୍ୟା ଅଞ୍ଚଳରେ ଭାଡିକରି ତଳିଘେରା ପ୍ରସ୍ତୁତ କରାଯାଇପାରେ । ସାଧାରଣତଃ ୩.୫ ମିଟର ଲମ୍ବ, ୧ମିଟର ଓସାର ଏବଂ ୧ମିଟର ଉଚ୍ଚତା ବିଶିଷ୍ଟ ବାଉଁଶ ଭାଡିକରି ବ୍ୟବହାର କରାଯାଇପାରିବ ଏବଂ ବର୍ଷାଦାଉରୁ ରକ୍ଷା କରାଯାଇପାରିବ ।

 

ସଅଳ କିସମ ପାଇଁ ଜୁଲାଇ ଅଗଷ୍ଟରୁ ଓ ବିଳମ୍ବ କିସମ ପାଇଁ ସେପ୍ଟେମ୍ବର ଠାରୁ ଅକ୍ଟୋବର ଭିତରେ ତଳି ପକାଇବା ଉଚିତ୍ । ତଳି ୨-୩ ପତ୍ରର ହୋଇଗଲା ପରେ ୧ ଲିଟର ପାଣିରେ ୧ ଗ୍ରାମ୍ ହିସାବରେ ୟୁରିଆ ମିଶାଇ ତଳି ଉପରେ ସ୍ପ୍ରେ କରନ୍ତୁ । ସେହି ପରି ତଳିରେ ରୋଗ ନହେବା ପାଇଁ ମଧ୍ୟ ବାଭିଷ୍ଟିନ୍ ସ୍ପ୍ରେ କରନ୍ତୁ ।

ରୋଇବା

ଫୁଲକୋବି ପାଇଁ ଭଲ ଚାଷ ଦରକାର । ଲୁହା ଲଙ୍ଗଲରେ ୨ ଥର ଚାଷକରି ମାଟି ଗୁଣ୍ଡ ହୋଇଯାଏ । ଶେଷଓଡ଼ ଚାଷ ବେଳେ ଏକର ପିଛା ୧୦-୧୨ ଗାଡ଼ି ଭଲ ଖତ ବିଲରେ ଦେଇ ମାଟିରେ ମିଶାଇ ଦିଅନ୍ତୁ । ଅନେକ ଚାଷୀ ଖତକୁ ବିଲଯାକ ନ ବୁଣି ସିଆରରେ ଦେବାକୁ ପସନ୍ଦ କରିଥାନ୍ତି । ଚାଷପରେ ସିଆର କରି ତଳି ରୁଅନ୍ତୁ । ସଅଳ କିସମ ପାଇଁ ଦୁଇ ସିଆର ଭିତରେ ବ୍ୟବଧାନ ୧ ଫୁଟ ଓ ଗଛକୁ ଗଛ ବ୍ୟବଧାନ ୧ ଫୁଟ, ମଝାଳିଆ କିସମ ପାଇଁ ଗଛକୁ ଗଛ ଓ ଧାଡିକୁ ଧାଡ଼ି ୧ ଫୁଟ ଓ ବିଳମ୍ବ କିସମ ପାଇଁ ଧାଡ଼ିକୁ ଧାଡ଼ି ୨ ଫୁଟ ଓ ଗଛକୁ ଗଛ ୧ ଫୁଟ ରଖି ତଳି ରୁଅନ୍ତୁ।

ତଳି ରୋଇବା ପୂର୍ବରୁ ସିଆରରେ ଏକର ପିଛା ୨୦୦ କିଲୋ ସିଙ୍ଗଲ ସୁପର ଫଫେଟ୍ ଓ ୪୦ କିଲୋ ମ୍ୟୁରେଟ୍ ଅଫ୍ ପଟାସ୍ ସାର ଦେଇ ମାଟିରେ ମିଶାଇ ଦିଅନ୍ତୁ । ସିଆରରେ ତଳି ଲଗାଇବା ସ୍ଥାନରେ ସାର ଦେବା ଉଚିତ୍ ଏହାଦ୍ୱାରା ସାରର ସଦ୍‌ବ୍ୟବହାର ହୋଇଥାଏ । ସାଧାରଣତଃ ଉପର ବେଳା ତଳି ଉପାଡ଼ି ବିଲରେ ଲଗାନ୍ତୁ ଏବଂ ଲଗାଇ ସାରିବା ପରେ ପାଣି ଦିଅନ୍ତୁ । ଲଗାଇବାର ୧ ସପ୍ତାହ ପରେ ଏକର ପିଛା ୪୪ କିଲୋ ୟୁରିଆ ଗଛ ଚାରିପଟେ ଦେଇ ଦିଅନ୍ତୁ । ରୋଇବାର ୩୦ ଦିନ ପରେ ପୁନଶ୍ଚ ଏକର ପିଛା ୪୪ କିଲୋ ୟୁରିଆ ଦେଇ ହୁଡ଼ା ଟେକି ଦିଅନ୍ତୁ । ଶେଷଥର ଏକର ପିଛା ୪୪ କିଲୋ ୟୁରିଆ ସାର ଲଗାଇବାର ୪୫ ଦିନ ପରେ ପ୍ରୟୋଗ କରନ୍ତୁ । ଏହାଦ୍ଵାରା କଢ଼ ଶୀଘ୍ର ବାହାରିବ ଓ ଆକାରରେ ମଧ୍ୟ ବଡ଼ ହେବ।

ଜଳସେଚନ

ବର୍ଷାଦିନିଆ କୋବିରେ ପ୍ରାୟ ପାଣିଦେବା ଦରକାର ପଡ଼େ ନାହିଁ । କିନ୍ତୁ ମଝାଳିଆ ଓ ବିଳମ୍ବ କିସମର କୋବି ପାଇଁ ୭-୮ ଦିନରେ ଥରେ ଲେଖାଏଁ ପାଣି ମଡ଼ାଇବା ଉଚିତ୍ । କୋବି କିଆରୀକୁ ସବୁବେଳେ ପରିଷ୍କାର ରଖିବା ଉଚିତ୍ ।

ଅମଳ

ଏକ ଏକର ବିଲରୁ ପ୍ରାୟ ୧୫୦୦୦ ରୁ ୨୫୦୦୦ ପର୍ଯ୍ୟନ୍ତ କୋବି ଅମଳ ହେବ । ସାଧାରଣତଃ ସଅଳ ଅମଳ ହେଉଥିବା କୋବି ବେଶି ଦାମରେ ବିକ୍ରି ହୋଇଥାଏ । ତେବେ ଜଣେ ଜଣେ ଚାଷୀ କୋବି ଚାଷରୁ ଏକର ପିଛା ପ୍ରାୟ ୩୬ ହଜାର ଟଙ୍କା ପାଇଥାନ୍ତି । ଖର୍ଚ୍ଚ ୧୪,୦୦୦ ଟଙ୍କା ବାଦ ଦେଲେ ଲାଭ ପ୍ରାୟ ୨୨,୦୦୦ ଟଙ୍କା ମିଳିଥାଏ । ସଅଳ ଚାଷ କଲେ ଲାଭ ଅଧିକ ହୋଇଥାଏ । ତେଣୁ ଏଥିପ୍ରତି ଚାଷୀମାନେ ଅଧିକ ଧ୍ୟାନ ଦେବା ଆବଶ୍ୟକ ।

ଅନେକ ସମୟରେ ଅତି ଖରାରେ ଫୁଲଗୁଡ଼ିକ ମାଟିଆ ପଡ଼ିଯିବାର ସମ୍ଭାବନା ଥାଏ । ତେଣୁ ତଳଆଡୁ ପତ୍ର ଗୁଡ଼ିକୁ ଆଣି ଫୁଲ ଉପରେ ବାନ୍ଧି ଦେଲେ ଖରାରୁ ରକ୍ଷା ମିଳେ ।

ଫୁଲ କୋବି ଫସଲରେ ଅନେକ ସମୟରେ କେତେ ଗୁଡ଼ିଏ ଅସ୍ଵାଭାବିକ ଅବସ୍ଥା ଦେଖାଯାଏ । ମାଟିରେ ବୋରନ୍ ଅଭାବ ହେଲେ କାଣ୍ଡ ଓ ଫୁଲ ମାଟିଆ ପଡ଼ିଯାଏ । ଏହି ଅସୁବିଧା ଦୂର କରିବା ପାଇଁ ଏକର ପିଛା ୫ ରୁ ୬ କେଜି ପର୍ଯ୍ୟନ୍ତ ସୋଡ଼ିଅମ ବୋରେଟ୍ ବା ବୋରାକ୍‌ସ ଦେବା ଉଚିତ୍ ।

ସେହିପରି ମଲିବଡେନମ୍ ଅଭାବରେ ଫୁଲ ବାହାରେ ନାହିଁ ବା ବାହାରିଲେ ଛାଟ ପରି ବାହାରେ । ସାଧାରଣତଃ ଅମ୍ଳ ମାଟିରେ ଏହି ଅସୁବିଧା ଦେଖାଯାଏ । ମାଟିରେ ଚୂନ ଦେବା ଦ୍ଵାରା ଏହି ଅସୁବିଧା ଦୂର ହୋଇଥାଏ । ଅନେକ ସମୟରେ ଏକର ପିଛା ୬୦୦ ଗ୍ରାମ୍ ସୋଡ଼ିଅମ୍ ମଲିଡେନମ୍ ଦେବା ଉଚିତ୍।

ଯବକ୍ଷାରଜାନ ଜାତୀୟ ସାର ଅଭାବରେ କୋବି କଢ଼ ବଡ଼େ ନାହିଁ । ତେଣୁ ଆବଶ୍ୟକ ପରିମାଣରେ ଓ ଠିକ୍ ସମୟରେ ଯବକ୍ଷାରଜାନ ଜାତୀୟ ସାର ଦେଲେ ଏହି ଅସୁବିଧା ଦୂର ହୁଏ । ସେହିପରି ଅନେକ ଗଛରେ ଆଦୌ କଢ଼ ହୁଏନାହିଁ । କୌଣସି କାରଣରୁ ଗଛର ଅଗଭାଗ ନଷ୍ଟ ହୋଇଯାଇଥିଲେ ଏହି ଅସୁବିଧା ହୁଏ ।

 

 

 

 

 

 

No comments:

OKRA_FRAMING

ଜୟୀ ରାଜଗୁରୁ (Freedom fighter)

ଜୟୀରାଜଗୁରୁ : ଇଂରେଜମାନେ ଭାରତକୁ ବାଣିଜ୍ୟ କରିବା ପାଇଁ ଆସି ଧୀରେ ଧୀରେ ରାଜନୈତିକ ବ୍ୟାପାରରେ ପ୍ରବେଶ କଲେ। ସେମାନେ ଗୋଟିକ ପରେ ଗୋଟିଏ ରାଜ୍ୟ ତାଙ୍କ ସାମ୍ରାଜ୍ୟର...